ଆଶା

 

 

 

 

 

 

 

 

 

ଆଶା

ଭକ୍ତକବି ମଧୁସୂଦନ ରାଓ

 

।। ୧ ।।

 

ଏ ଭବ-ଭୈରବ-ବନେ ଶ୍ରାନ୍ତ ଅବସନ୍ନ

ପଥିକ ଏକାକୀ,

ଭ୍ରମଇ ହରାଇ ପଥ ନିରାଶ ବିଷଣ୍ଣ

ଦୁଃଖେ ଡାକି ଡାକି ।

ସର୍ବଗ୍ରାସୀ ଘୋର ମୋହ ଅନ୍ଧାରେ ମଗନ

ଦିଗ ଦିଗନ୍ତର,

ସର୍ବଗ୍ରାସୀ ସ୍ୱାର୍ଥମେଘେ ଆବୃତ ଗଗନ

ଘୋର ଭୟଙ୍କର ।

ଈର୍ଷାର ବିକଟ ହାସ୍ୟ ଚପଳା ସ୍ଫୁରଣ

ଧରଷେ ନୟନ,

କ୍ରୋଧ ଦ୍ୱେଷ ଗରଜନ ଭୟାବହ ଅତି

ରୋଧଇ ଶ୍ରବଣ ।

ହୁହୁରବେ ବହେ ପାପ- ପ୍ରଳୟ ପବନ

କମ୍ପେ ବସୁମତୀ,

ତ୍ରାସେ ବିକମ୍ପିତ ସ୍ତବ୍‍ଧ ପାନ୍ଥ-ପ୍ରାଣ-ମନ

ନ ଦିଶଇ ଗତି ।

ମାତୃଅଙ୍କ ହରାଇଣ ଶିଶୁ ଅସହାୟ

ଯେସନ ଅନ୍ଧାରେ,

କାନ୍ଦଇ ତେସନ ପାନ୍ଥ ହୋଇ ନିରୁପାୟ

ଆର୍ତ୍ତ-ହାହାକାରେ ।

Image

 

।। ୨ ।।

 

କାନ୍ଦିଣ ବୋଲଇ, ‘‘ମା’ ଗୋ ଜଗତ ଜନନୀ !

ଏ କି ଲୀଳା ତୋର,

କାହିଁକି ଝଟିକା-ମୟୀ ଏ ଘୋର ଜନନୀ

ଏ ଅରଣ୍ୟ ଘୋର ?

କାହିଁ ଛାଡ଼ିଗଲୁ ମା’ ଗୋ ! ଏ ଭୀଷଣ ବନେ

ଦୁର୍ବଳ ତନୟେ,

ପଥ ନ ଜାଣଇ, ନାହିଁ ସାମର୍ଥ୍ୟ ଚରଣେ

ସ୍ତବ୍‍ଧ ମୁଁ ଭୟେ ।

ଶୈଶବେ ଯୌବନେ ମା’ ! କି ଉଜ୍ଜ୍ୱଳ ଦୃଷ୍ଟି

ଦେଲୁ ଏ ନୟନେ,

କେମନ୍ତ ଉତ୍ସାହ ପ୍ରୀତି ବିଶ୍ୱାସର ସୃଷ୍ଟି

କି କଲୁ ଏ ଜୀବନେ ।

ଏବେ ମା’ ଗୋ ବିଷାଦର ଜୀବନ୍ତ ମରଣେ

କାହିଁକି ଏ ପ୍ରାଣ,

ଏକାନ୍ତ ଅବଶ ଅବ- ସନ୍ନ ଅନୁକ୍ଷଣେ

ହତବୁଦ୍ଧି ଜ୍ଞାନ ।

ଏ ମୃତ୍ୟୁ-ସଙ୍କଟେ ମା’ ଗୋ ! ନ ରଖିଲେ ତୁହି

ଆଉ କେ ରଖିବ ?

କାତରେ ବିକଳେ ଆଜି ଡାକୁଅଛି ମୁହିଁ

ଦୀନହୀନ ଜୀବ ।

ଏ ଘୋର ଯନ୍ତ୍ରଣା ଆଉ ନ ପାରଇ ସହି

ଦେ’ ମା’ ଦରଶନ,

ପ୍ରକାଶ ଶ୍ରୀମୁଖଜ୍ୟୋତି ଏବେ କୃପା ବହି

ମୁଁ ଯେ ଅକିଞ୍ଚନ ।’’

Image

 

।। ୩ ।।

 

ଏମନ୍ତ ସେ ପାନ୍ଥ ଆହା କାନ୍ଦିଣ କାତରେ

ହୋଇଲା ମୂର୍ଚ୍ଛିତ,

ସହସା ଆକାଶ-ବାଣୀ ତା ହୃଦ-କନ୍ଦରେ

ହେଲା ପ୍ରବାହିତ ।

ଉଠ ବତ୍ସ, ଅଛି ପାଶେ, ନୟନ ଫିଟାଇ

ଦେଖରେ ତୁ ବାରେ,

ଭ୍ରାନ୍ତିବଶେ ମୋର କ୍ରୋଡ଼ ଛାଡ଼ି କାହିଁପାଇଁ

କାନ୍ଦୁ ନିରାଶାରେ ?

ଦେଖରେ ନୟନ ଫେଡ଼ି ମୋ ନୟନପ୍ରଭା

ଆଶା-ପ୍ରଭାମୟୀ,

ବିନାଶୀ ତିମିର-ରାଶି ବିଶ୍ୱାସ ସୁଲଭା

ବିଶ୍ୱ ଉଜଳଇ ।

Image

 

।। ୪ ।।

 

ହୃଦୟର ସ୍ତରେ ସ୍ତରେ ସଞ୍ଚରିଲା କ୍ଷଣେ

ସେ ସ୍ୱର୍ଗ-ସଙ୍ଗୀତ,

ଭାଜିଲା ବିଷମ ମୋହ, ଚିତ୍ତ ନବ ପ୍ରାଣେ

ହେଲା ତରଙ୍ଗିତ ।

ନୟନ ଉନ୍ମୀଳି ପାନ୍ଥ ଦେଖେ ଆଚମ୍ବିତ

ଅପୂର୍ବ ଦର୍ଶନ,

ନାହିଁ ସେ ଅନ୍ଧାର ଘୋର, ବିଲୁପ୍ତ ଚକିତେ

ସେ ଭୈରବ ବନ ।

ଆଲୋକ ପ୍ରବାହ ଦଶ- ଦିଶେ ଉଛୁଳଇ

ନାଶି ଅନ୍ଧକାର,

ସେ ଆଲୋକ-ସୁଧାପାନେ ପ୍ରାଣେ ଉପୁଜଇ

ଆଶ୍ୱାସ ଅପାର ।

ସହସା ଅଗ୍ରତେ ଉଭା ଦେବୀ ପ୍ରଭାମୟୀ

ସହାସ ମୂରତି,

ବେନି ପାର୍ଶ୍ୱେ ବେନି ସଖୀ ଦିବ୍ୟ ତୋଜୋମୟୀ

କରନ୍ତି ଆରତି ।

ବାଳାର୍କ କିରୀଟରୂପ ଉଜଳେ ଭୁବନ

କଜ୍ଜ୍ୱଳ-ଚିକୁରେ,

ନିଶାନ୍ତ ତାରକା ବର୍ଷି ପ୍ରଶାନ୍ତ କିରଣ

ନେତ୍ରଯୁଗେ ସ୍ଫୁରେ ।

ଚରଣେ କିରଣମୟ ଶତ ଦଳଦଳ

ଉଠଇ ବିକଶି,

ସଖୀଏ ନିଅନ୍ତି ତୋଳି ସେହି ଶତଦଳ

ହର୍ଷ ହସି ହସି ।

ମହାଦେବୀ ଦେହପ୍ରଭା ଦିଗଙ୍ଗନାଙ୍କର

ଜଳଦ-ବସନେ,

ଇନ୍ଦ୍ରଧନୁ ବର୍ଣ୍ଣୋତ୍ସବ ସୃଜେ ମନୋହର

ଅନନ୍ତ ଗଗନେ ।

ପାରିଜାତ ପୁଷ୍ପମୟ ଶ୍ରୀଅଙ୍ଗୁ ପ୍ରସରି

ସ୍ୱର୍ଗୀୟ ସୌରଭ,

ସକଳ ସନ୍ତାପ ଶ୍ରାନ୍ତି ଅବସାଦ ହରି

ପୂର୍ଣ୍ଣ କରେ ନଭ ।

ମହାଦେବୀ ଆବିର୍ଭାବେ ସ୍ଥାବର ଜଙ୍ଗମ,

ପୁଲକ ପୂରିତ,

ବିକଶି ଉଠଇ ପୁଷ୍ପ ଗାଏ ବିହଙ୍ଗମ

ଲଳିତ ସଙ୍ଗୀତ ।

ଆନନ୍ଦେ ବିହ୍ୱଳ ପାନ୍ଥ ଭକ୍ତି ପୁଲକିତ

ନମଇ ପୟରେ,

ଆନତ କରନ୍ତେ ଶିର ପ୍ରଭା ଲୋକାତୀତ

ନୟନେ ସଞ୍ଚରେ ।

ସହସା ପ୍ରକାଶେ ମହା- ଦେବୀ ପଦତଳେ

ସ୍ୱରଗ ତୋରଣ,

କୋଟି ପ୍ରଭାକର ଜିଣି ମହାତେଜୋ ଜ୍ଜ୍ୱଳେ

ବିଚିତ୍ର ଶୋଭନ ।

ତୋରଣ-ଲଲାଟେ ଶୋଭେ ଇନ୍ଦ୍ରଚାପାକାର

ସ୍ୱର୍ଣ୍ଣ ବର୍ଣ୍ଣାବଳୀ,

ଆହା କି ଅମୃତମୟ ଘୋଷଣା ଉଦାର

ବ୍ରହ୍ମାଣ୍ଡ ଉଜଳି ।

‘‘ଭକ୍ତି-ପ୍ରୀତି-ସହଚରୀ- ଆଶା-ଅଧିଷ୍ଠିତ

ଏ ସ୍ୱର୍ଗ ତୋରଣ,

ସଦା ଅବାରିତ-ଦ୍ୱାର ପ୍ରଭା-ବିଭାସିତ

ବିଶ୍ୱ-ବିମୋହନ ।

ଆସ ଆସ ପାପୀ ତାପୀ ଯେ ଅଛ ଜଗତେ

ସେବି ଦେବୀପଦ,

ପ୍ରବେଶ ସ୍ୱରଗଧାମେ ଭୁଞ୍ଜରେ ସନ୍ତତେ

ଅମୃତ ସମ୍ପଦ ।

Image

 

।। ୫ ।।

 

ଆବର ଦେଖଇ ପାନ୍ଥ ବେଢ଼ି ଚଉପାଶେ

ସ୍ୱର୍ଣ୍ଣବୀଣା କରେ,

ଜ୍ୟୋତିର୍ମୟ ଦେବଦଳ ଗାଆନ୍ତି ଉଲ୍ଲାସେ

ମହାପ୍ରେମ ଭରେ ।

‘‘ଜୟ ଜଗଦମ୍ବା ନେତ୍ର- ପ୍ରଭା ମୂର୍ତ୍ତିମତୀ

ଆଶା ପ୍ରଭାମୟୀ,

ବ୍ରହ୍ମାଣ୍ଡ ପାବନି ମାତଃ ଜୟ ଭଗବତୀ

ଜୟ ପୁଣ୍ୟମୟି !’’

ବାଜଇ ଅମୃତ ବୀଣା ଅମୃତ ଝଙ୍କାରେ

ବହି ଜୟଧ୍ୱନି,

ଗମ୍ଭୀରେ ଧ୍ୱନିତ ସେହି ଜୟ-ଜୟକାରେ

ଆକାଶ ଅବନୀ ।

Image